Unknown

ଜନନୀ

ଚିନ୍ତାମଣି ମହାନ୍ତି

 

(ନଟବାଣୀ)

ଉରୁଜେ ଜନନୀ ନାମେ ହୃଦେ ଭକ୍ତି

ମା ଅପତ୍ୟ-ଆତ୍ମା-ସଞ୍ଜୀବନୀ ଶକ୍ତି ।

ଜନନୀ, ବିଧିର ଶ୍ରେଷ୍ଠ ଶୁଭଦାନ

ଜୀବନେ ବାସ୍ତବ ସୁଖର ନିଦାନ ।

 

ମାତୃନାମ-ମନ୍ତ୍ରେ, ଜୀବ ଧମନୀରେ

ବିଦ୍ୟୁତ ପ୍ରବାହ ପ୍ରବାହେ ଅଧୀରେ ।

ମାତା ମୂର୍ତ୍ତିମତୀ ଦେବ ଆଶୀର୍ବାଦ,

ଦେବୀତୁଲ୍ୟ ତାରୁ ମହିମା ଅଗାଧ ।

 

ମାତୃ ନାମେ ମିଳେ ଅଭୟ ଉତ୍ସାହ,

ଲାଗେ ସୁଶୀତଳ ଭବୋଷ୍ଣ-କଟାହ ।

ମହୀତଳେ ମାତା ମହାମହୀୟସୀ,

ସ୍ନେହ କରୁଣାର ନିର୍ମଳ ସରସୀ ।

 

ମାତୃଦେବୀ ହେତୁ ଧରା ସ୍ୱର୍ଣ୍ଣସ୍ୱର୍ଗ,

ମାତୃଭକ୍ତ ବନ ଲଭେ ଚଉବର୍ଗ ।

 

ଶୋକାଷ୍ଟକ

(ରାମକେରୀ)

ପାହିଥିଲା କାଳ ଯାମିନୀ

ଆଜି ଦଗ୍‌ଧ କୁକ୍ଷଣେ,

ନିଦାରୁଣ ଶୋକ ସମ୍ବାଦ

ଶୁଣାଗଲା ଶ୍ରବଣେ ।

 

କି ଲେଖିବି ଶୋକ-ବାରତା

ଚଳୁ ନାହିଁ ଲେଖନୀ,

ଏକାବେଳେ ଆସି ପଡ଼ିଲା

ମୁଣ୍ଡେ କୋଟି ଅଶନ ।

 

ନ ବହିଲା ଘୋର ବିପାକେ

ନେତ୍ର ଲୋତକ ଧାର,

ଘୋରଶୋକାତାପେ ବିଶୁଷ୍କ

ଯେଣୁ ଝର ତାହାର ।

 

କରିଯାଇଥିଲା ଜନକ

ବାଳକାଳୁଁ ଅନାଥ,

ଛାଡ଼ିଗଲେ ଏବେ ଜନନୀ

ଦେଇ ପ୍ରାଣେ ଆଘାତ ।

 

ପିତୃ-ମାତୃହୀନହୋଇ ମୁଁ

ଲେଖା ହେଲି ଅସାରେ,

ନ ରହିଲା କେହି ମୋହର

ଆଉ ସାହା ସଂସାରେ ।

 

ହା ବିଧି ଏ ବିଧି ତୁମ୍ଭର

କେଉଁ ଯୁକ୍ତିସଙ୍ଗତ,

ଦୁଃଖି ଭାଗ୍ୟେ ଦୁଃଖ ସୁଲଭ

ହୋଇଥିବ ସତତ ।

 

ଏତେ ଦୁଃଖ ଦେଇ ତୃପ୍ତି କି

ହେଲା ନାହିଁ ତୁମ୍ଭର,

ସାର ସୁଖଟିକୁ ଜୀବନୁ

ହରିନେଲା ହେ ହରି ।

 

ପୂର୍ଣ୍ଣହେଲା ଏବେ ହରି ହେ

ଶୁଭ ବାଞ୍ଛା ତୁମ୍ଭର,

ଜନନୀକୁ ମୋର ନିର୍ବାଣ-

ମୁକ୍ତି ପ୍ରଦାନ କର ।

 

ମାତୃବିୟୋଗ

(ମଙ୍ଗଳ)

ତେଜିଲୁ କି ଜନକ ଲୋପୀଡ଼ିତ ସନ୍ତାନେ,

ବଜାଇଦେଇ ତା ମର୍ମ-ତନ୍ତ୍ରୀ ଶୋକତାନେ।

ଭୋକେଶୋଷେ ମୁହଁ ତାର ଯାଇଥିଲେ ଶୁଖି,

କିଏ ହେବ ଜନନିଲୋ ତାହା ଦେଖି ଦୁଃଖି।

 

ଛାଇକିଡ଼ାକିବ କିଏ ବସିଲେ ଖରାରେ,

ମଧୁର ସ୍ୱରରେ କହି ଆରେ ବାପ ଆରେ ।

ଲୁହ ପୋଛିଦେବ କିଏ କାନ୍ଦୁଥିବା ବେଳେ,

କିଏ ଆଉଁଷିବ ପିଠି ରୋଗପୀଡ଼ା ହେଲେ ।

 

ପାଗଳିନୀ ପରି ହେଉ ନ ଦେଖିଲେ ଯାକୁ ,

କାହାକୁ ସମର୍ପିଦେଇ ଗଲୁ ଏବେ ତାକୁ ।

ଅନାଥ ସୁତର ଆଉ କିଏ ଅଛି ସାହା,

ସମୁଦ୍ରକୁ ପିଙ୍ଗିଦେଇ ଚାଲିଗଲୁ ଆହା ।

 

ଅବୋଧ ସନ୍ତାନ କଲେ ଶତଶତଦୋଷ,

ମାତା ତ ବହନ୍ତି ନାହିଁ କେବେ ମନେ ରୋଷ।

କୁପୁତ୍ର ହୁଅନ୍ତି ସିନା ନ ହୁଏ କୁମାତା,

ଶାଶ୍ୱତ ନିୟମ ଏହା ବାନ୍ଧିଛନ୍ତି ଧାତା ।

 

ବିଖଣ୍ଡନ ଦେଖି ସେହି ଅଖଣ୍ଡ ବିଧିର,

ନ ହେବ ଅଧୀର କେଉଁ ପାଷାଣ ଶରୀର ।

ସତେ କି ତୋଭବଲୀଳା ସରିଛି ଜନନି,

ବିନା ମେଘେ କାହୁଁ ଆସି ପଡ଼ିଲା ଅଶନି।

 

ପରତେ ତ ଏହା ମେଘ ମୋର ହେଉ ନାହିଁ କିଛି,

ଯେଣୁ ତୋର ମୂର୍ତ୍ତି ମୋ ନେତ୍ରେ ଲାଗିଛି ।

ନିତାନ୍ତ କୁପୁତ୍ର ସିନା ଅଟେ ମୁଁ ତୋହରି,

ନ ପାରିଲି ଶେଷକାଳ ପଦ-ସେବା କରି ।

 

ଏହି ଅନୁତାପ ମୋର ରହିଗଲା ମନେ,

ରହିଥିବ ଥିବା ଯାଏଁ ଏ ମର ଭୁବନେ ।

ହରି-ପାଦପଦ୍ମେ ଲୀନ ହଅ ଗୋ ପ୍ରସୂତି,

ପୋଛିଦେଇ ମନୁ ଏହି ଋଗ୍‌ଣ ସୂତ ସ୍ମୃତି ।

 

ଯୁଗେ ଯୁଗେ ମିଳୁ ମୋତେତୋପରିସୁନୀତା,

ମୋ ଭଳି କୁପୁତ୍ରକୋଳେ ନ ଦେଉ ବିଧାତା

 

 

ଶୋକ ସପ୍ତକ

(କଳହଂସକେଦାର)

ଜନନୀ ଦେବୀ ମୋରସ୍ନେହଦାୟିନୀ,

ସଂସାର-ମରୁଭୂମେବାରିରୂପିଣୀ,

ଆଉ ତ ଥରେ ତାକୁ ଦେଖିଲି ନାହିଁ,

ଉଭେଇଗଲା ଆହା ପଲକେ କାହିଁ । ୧ ।

 

କରିଥିଲା ସେ ମୋତେନେତ୍ରପିତୁଳା,

ଥିଲା ତା ଦୟା କ୍ଷମା ମର୍ତ୍ତ୍ୟେ ଅତୁଳା,

କେଣେ ସେ ଚାଲିଗଲା ମୋତେ କନ୍ଦାଇ,

ଉଭେଇଗଲା ଆହା ପଲକେ କାହିଁ । ୨ ।

 

ମୋତେ ନ ଦେଖି ସେହୁଆକୁଳପ୍ରାଣ-

ହୁଅଇ, ମଣିହରା ଫଣୀ ସମାନ,

ଏବେ ତ ଶୋକ-ଜଳେ ଦେଇ ଭସାଇ,

ଉଭେଇ ଗଲା ଆହା ପଲକେ କାହିଁ । ୩ ।

 

ଆହା ସେ ସୌମ୍ୟ ମୁଖ ପବିତ୍ର ତନୁ,

ମୁହୂର୍ତ୍ତେ ନ ଯାଏ ତ ବିସୋରି ମନୁ,

ସେ ତନୁ ପଞ୍ଚଭୂତେ ଗଲା ମିଳାଇ,

ଉଭେଇ ଗଲା ଆହା ପଲକେ କାହିଁ । ୪ ।

 

ଜନନୀ ଏ ଜଗତେ ପରମ ସାହା,

ଦେଖାଏ ସନ୍ତାନେ ସେ ଜୀବନ ରାହା,

ତୋ ବିନା ଭବେ ଆନ ଭରସା ନାହିଁ,

ଉଭେଇଗଲା ଆହା ପଲକେ କାହିଁ । ୫ ।

 

ଲାଗି ରହିଛି ତାର ରୂପ ନୟନେ,

ଲାଗି ରହିଛି ବାକ୍ୟ ସଦା ଶ୍ରବଣେ,

ଅଛି ତା କାର୍ଯ୍ୟ ମାତ୍ର ସେ ଆଉ ନାହିଁ

ଉଭେଇଗଲା ଆହା ପଲକେ କାହିଁ । ୬ ।

 

ହେଲି ମୁଁ ମାତୃହୀନ ଦୀନ ଅସାହା,

ରହିଲା କେଉଁ ଆଶା ଭବେ ମୋ ଆହା

ପ୍ରଦାନ ଶାନ୍ତି ପ୍ରଭୁ ଜଗତସାଇଁ

ଉଭେଇଗଲା ଆହା ପଲକେ କାହିଁ । ୭ ।

 

ଶ୍ମଶାନରେ ମାତୃ ସମାଧି

(ଶଙ୍କରାଭରଣ)

ଶୀତ ପୁତତୋୟାସ୍ୱଚ୍ଛସାଳନ୍ଦୀ ଉଦରେ,

ଜନନୀ ସମାଧୀ ହେରି ‘‘ଦୁଧିଆ’’ କୁଦରେ,

ଜାତ ଦୁଃଖ ଅସମ୍ଭାଳ,

ଶୋକ-କରତରେ ହୃଦ ହେଲା ଫାଳ ଫାଳ।

 

ଦୁଇଦିନ ପୂର୍ବେ ଯେହୁ ଦିବ୍ୟ ବପୁଷ୍ମତୀ,

ମୁଠାଏ ପାଉଁଶେ ଏବେ ତାର ପରିଣତି,

ଏହା ନିରେଖିବା ପାଇଁ,

ଆସିଥିଲି କି ସୁଦୂର ପ୍ରବାସରୁ ଧାଇଁ ।

 

କାହିଁ ଅଛୁ ଜନନିଲୋଭସ୍ମସ୍ତୁପେ ଲୁଚି,

ଶ୍ମଶାନ-ଶୟନେ କିପାଁ ବଳିଲା ତୋ ରୁଚି,

ଏ ତ ଭୟଙ୍କର ସ୍ଥଳ,

ନିବସନ୍ତି ଏଥି ପ୍ରେତି ପିଶାଚ ସକଳ ।

 

ରୁଷି ଆସିଛୁ କି ମା ଲୋ କରିଛି କେ କଳି,

ଅଭିମାନେ ରୋଷନଳ ଉଠିଅଛି ଜଳି,

ମୋତେ ଚାହିଁ ପୂର୍ବ ପରି,

ଉଲ୍ଲସିତ କର ମୁଖ କୋପପରିହରି।

 

କାନ ଡ଼େରିଥାଉ ସଦା ଡ଼ାକକୁମୋହର,

ଡ଼ାକିଲେ କିପାଇଁ ଏବେ ନ ଦେଉ ଉତ୍ତର

ଏଡ଼େନିଷ୍ଠୁରାକି ପାଇଁ,

ପୁତ୍ର-ଦୋଷ ଜନନୀ କି କ୍ଷମା କରେ ନାହିଁ ।

 

ପୀଡ଼ିତଦେଖିଣମୋତେ କାନ୍ଦୁ ସର୍ବକ୍ଷଣେ,

ଦେଇଥିଲା କେତେ ଅଶ୍ରୁ ଧାତା ତୋ ନୟନେ

ମୁଁ ସେ ପୀଡ଼ିତ ସନ୍ତାନ,

ବିଦେଶୁଁବାହୁଡ଼ିଆର୍ତ୍ତେ କରୁଛି ସହିଛୁ ଆହ୍ୱାନ।

 

ମୋହପାଇଁ କେତେ କଷ୍ଟ ସହିଛୁ ଜନନି,

ତୋହ ପରି ସର୍ବଂସହା କେବଳ ଅବନୀ,

ଗର୍ଭକଷ୍ଟ ଦିନକର,

ଶକ ଜନ୍ମେ ମୁହିଁ କାହିଁ ଶୁଝିବି ତୋହର।

 

ରୋଗେ, ଶୋକେ ମୁହିଁ କାହିଁ ଶୁଝିବି ତୋହର।

ରୋଗେ, ଶୋକେ, ମନସ୍ତାପ ପ୍ରଦାନୁ ସାନ୍ତନା,

ଦେଲୁ ଏବେ ମହାଶୋକ ଏ କି ବିଡ଼ମ୍ବନା,

ତୋର ହୃଦ କି କୁଳିଶ,

ନ ଶୁଣୁ କିପାଇଁ ଡ଼ାକୁଅଛି ଅହର୍ନିଶ ।

 

ନିବସୁଛୁ ତୁହିମାତଃ ଯେଉଁ ଦେଶେ ଯାଇ,

ସେ ଦେଶେ କି ମର୍ତ୍ତ୍ୟଲୋକଡ଼ାକ ପାଏ ନାହିଁ,

କିମ୍ବା ଅମର୍ତ୍ତ୍ୟବାସୀର,

ମର୍ତ୍ତ୍ୟ ଆର୍ତ୍ତନାଦେ ଆର୍ଦ୍ର ନୁହଇ ଶରୀର ।

 

ମୋ ପକ୍ଷେ ଦୁର୍ଲ୍ଲଭ ହେଲା ଏବେ ତୋ କରୁଣା,

କି କହିବି ମାତଃଗ୍ରହବଳମୋର ଊଣା,

ଭାଗ୍ୟେ ଘଟୁ ମୋର ଯାହା,

ମାତ୍ର କୃପା କରନ୍ତୁ ତୋ ପ୍ରତି ବିଶ୍ୱନାହା।

 

ବିରାଜ ମୋ ଅନାମୟ ସତ୍ୟ ନିତ୍ୟଧାମେ,

ନିଶ୍ଚୟ ଭେଟିବି ଦିନେ ପ୍ରାଣ ପରିଣାମେ,

ବହି ସେ କାଳେ କି ସ୍ନେହ,

ଧରିବୁ ଅଙ୍କେ ଏ ପାପ-ପଙ୍କଲିପ୍ତ ଦେହ ।

 

ତୋ ପଦ-ସେବାରୁ ସିନା ହେଲି ମୁଁ ବଞ୍ଚିତ,

ମାତୃଭାଷା ପଦେ କିନ୍ତୁ ଥାଉ ମୋର ଚିତ୍ତ,

ମାତୃଦେବିଦୟାମୟି,

ଏହି ବର ଯାଚେ ଦାସ ଦିଅ ଦୟା ବହି ।

 

ଶାନ୍ତିବାଚନ

(ବଙ୍ଗଳାଶ୍ରୀ)

ଦ୍ୱାଦଶ ଦିବସ            ପରିପୂର୍ଣ୍ଣ ଆଜି

ପ୍ରେତ ଯିବ ସୁରାଳୟ,

ପୁଣ୍ୟ ସ୍ମୃତି ତାର            ବିସ୍ମୃତି ଗରଭେ

ଭଜିବ ଏବେ ବିଲୟ ।

 

ଧିକ ମୁଁ କୃତଘ୍ନ            ଏହି କି ମୋହର

ମାନବୋଚିତ ବେଭାର

ଯାର କୃପାବଳେ            ଧରିଛି ଜୀବନ

ତାକୁ ଦିନ ଦଶ ବାର-

 

ଅନ୍ତେ ଚିରଦିନ-            ପାଇଁ ମୁରୁଛିଣ

କି ସୁଖେ ଧରିବି ଦେହ,

ଖରେ ଅଗ୍ନି କାଳି             ନ ଦେବ କି ହୃଦେ

ତାହା ଅପାସୋରା ସ୍ନେହ ।

 

କିପରି ବା ଧୃତି             ଧରି ସମାଧିରେ

କରିବି ଦଧି ସେବନ,

ଶୋକ-ଜଡ଼ ତୁଣ୍ଡେ            ଉଚ୍ଚାରିବି ଆହା

କିପରି ଶାନ୍ତିବାଚନ।

 

ଅନ୍ତ୍ୟେଷ୍ଟି ତୋହର            ସରିଲା ମାଆ ଲୋ।

ଘେନିରୁ ଚିର ବିଦାୟ,

ଆଜିଠାରୁ ସିନା            ଚିର ରୁଗ୍‌ଣ ସୂତ

ହେଲା ତୋର ଅସହାୟ ।

 

ଏଣିକି ମୋହର            ବେନି ନେତ୍ର ସିନା

ହେବ ଶୋକାଶ୍ରୁ-ନିର୍ଝର,

ଶୋକ ତାପ ଦୁଃଖ            ତିନିହେଁମୋହର

ହୃଦୟେ ତୋଳିବ ଘର ।

 

ଜଳଶୂନ୍ୟ ନଦୀ            ପ୍ରାୟ ମୋ ଜୀବନ

ହେଲା ଆହା ଅକାରଣ,

ଜୀଇଥିବା ଯାଏଁ             ମଣିବ ତାହାକୁ

ସିନା ଜୀବନ୍ତ ମରଣ ।

 

ସୁଖମୟ ଧାମେ             ଚାଲିଗଲୁ ତୁହି

ଅର୍ପି ମୋତେ ଚିର ଦୁଃଖ,

କି କହିବ ମୋର            କପାଳତ ତ ପୋଡ଼ା

ବିଧାତା ଯେଣୁ ବିମୁଖ ।

 

ଯା, ଯା ଗତସ୍ମୃତି            ଆଉ ନ ଦହ ରେ

ଶୋକ-ଦାବ-ଦଗ୍‌ଧ ପ୍ରାଣେ,

ମଡ଼ା ପରେ ଖଣ୍ଡା-            ଚୋଟ ହାଣୁ ତୁହି

କେଉଁ ପଉରୁଷ ଜ୍ଞାନେ ।

 

ଯାଅ ମାତଃ ଏବେ             ମହାହୃଷ୍ଟ ଚିତ୍ତେ

ଘେନି ଏ ବିଦାୟ ଭେଟି,

ଜୀର୍ଣ୍ଣ, ଚିନ୍ତା-କୀଟ-            ଦଂଶିତ, ଶୋକାଶ୍ରୁ-

ପରିପୂର୍ଣ୍ଣ ହୃଦ-ପେଟି ।

 

ଜଗତର ନାହା             ଆହେ ଚଉବାହା

ଅନାଦି ଅଗତି-ଗତି,

ଶୁଣ ମୋ ଗୁହାରି             ପ୍ରଭୁ ପାପହାରି,

ତବ ପାଦେ ଏ ବିନତି ।

 

ଗଲେ ମୋ ଜନନୀ            ସଂସାର ଜଞ୍ଜାଳ-

ଅନଳେ ହୋଇଣ ଘାରି,

ସୁଶୀତଳ କର            ଆତ୍ମାକୁ ତାଙ୍କର

ସିଞ୍ଚି ପଦ୍ମ ଶାନ୍ତି-ବାରି ।

 

ଶୋକସ୍ମୃତି

(କଳହଂସକେଦାର)

ନାଚୁଛି ହୃଦେ ସଦା ତୋଶୋକ-ସ୍ମୃତି,

ଲୁଚାଇଲି ଜନନି, କାହିଁ ସେ ମୂର୍ତ୍ତି ।

ଦିବସ ଗଣିବାରେ ହେଲା ଛ ମାସ,

ଆଉ ତ ନ ଶୁଣିଲି ସେ ମଧୁଭାଷା। ୧ ।

 

ପଡ଼ିଲା ନାହିଁ ସୁଦ୍ଧା ସ୍ୱପନେ ଥରେ,

ସେ ଦିବ୍ୟ ପୁଣ୍ୟ ମୂର୍ତ୍ତି ନେତ୍ରପଥରେ।

ବୁଡ଼ାଇ ଦେଇଅଛି କଳ୍ପନା ଧୃତି,

ଅଙ୍କି ହୃଦୟେ ସଦା ତୋଗତସ୍ମୃତି। ୨ ।

 

ଥରେକି ନ ପଡ଼େ ଲୋ ମନେ ତୋହର,

ଚିର ସ୍ନେହର ଦୀନ ରୁଗ୍‌ଣ କୁମର,

ଧନ୍ୟ ତୁ ନିବାସୁ ମା ଯେଉଁ ଭୁବନେ,

ପୁତ୍ର ସ୍ନେହ କି ଚାହିଁ ଭୁଲନ୍ତି ଜନେ । ୩ ।

 

ମୋ ହିତ ବାଞ୍ଛି କେତେ ଉପାସବାର,

ଆଚରୁଥିଲୁ ସହି କ୍ଳେଶ ଅପାର,

ମୋପୀଡ଼ା ଶାନ୍ତି ପାଇଁ ଦିବାଯାମିନୀ,

କରୁ ଦେବେ କେତେ ସ୍ତୁତି ଦଇନୀ। ୪ ।

 

କାହିଁ କରୁଣାତି ! ସେ ଦୟା ତୋର,

ଛିଣ୍ଡାଇଦେଲୁ ସ୍ନେହ ମମତା ଡ଼ୋର,

ଛାଡ଼ି ତ ଗଲୁ ଯେବେ ନିରାଶ କରି,

ନ ନେଲୁ ସଙ୍ଗେ କିପାଁ ସ୍ତୁତି ତୋହରି। ୫ ।

 

ଜାଳୁଛି ଅନୁତାପାନକ ସେ ସଦା,

ତୋତେ ହରାଇ ଦେଲା ହୃଦୟ ପଦା,

ଘଟୁ ଯା ଘଟିବାର କି ହେବ ଭାଳି,

ତୋ ସ୍ମୃତି କରିଥିବ ପ୍ରାଣ ସଙ୍ଖାଳି । ୬ ।

 

ମାତୃଶ୍ରାଦ୍ଧ

(କଳହଂସକେଦାର)

ସତେ କି ତେଜିଲୁ ମା ଏ ରୁଗ୍‌ଣ ସୁତେ,

ଛିଣ୍ଡାଇ ସ୍ନେହ ଦୟା ଅଚ୍ଛେଦ୍ୟ ସୁତ୍ରେ,

ବରଷେ କାଳ ହେଲା ରହିଛୁ କାହିଁ,

ଆରେ କି ମୁଁ ତୋ ମନେ ପଡ଼ିଲି ନାହିଁ । ୧ ।

 

ଭୁଲିଛୁ ଯେବେ ଚିରକାଳ ଭୁଲିଥା,

କିପାଁସୁମରି ଚିତ୍ତେ ଜାଳିବୁ ଚିତା,

ସମର୍ପି ଜଳାଞ୍ଜଳି ଶାନ୍ତି ସୁଖରେ,

ମୋ ପାଇଁ ହେବୁ ଦହି କିପାଁ ଦୁଃଖରେ । ୨ ।

 

ବସିଛୁ ଦେବଧାମେ ଦେବୀ ସ୍ୱରୂପେ,

ପଡ଼ିଛି ମୁହିଁ ମର୍ତ୍ତ୍ୟ କଳୁଷ-କୁପେ,

କିପାଁ ଏ ପାପୀ କଥା କରିବୁ ଚିନ୍ତା,

ମଧୁର ତୁଣ୍ଡେ କିପାଁ ଭୁଞ୍ଜିବୁ ପିତା । ୩ ।

 

କପାଳ ପୋଡ଼ା ଯାର ଛାଡ଼ ତା କଥା,

କିପାଇଁ ବଢ଼ାଇବୁ ତା ଲାଗି ବ୍ୟଥା,

ଯାଉ ଯେ ଗଲା ଚିରକାଳ ସେ ଯାଉ,

କିପାଁ ତା ତୁଚ୍ଛା ମୁଖ ଦେଖିବୁ ଆଉ । ୪ ।

 

ନ ଦେଇ ଯୋଗତୋର ବାର୍ଷିକ ଶ୍ରାଦ୍ଧେ,

ହରୁଛି କାଳ ଆଜି ଘୋର ବିଷାଦେ,

ଉଦ୍ଦେଶେ ପ୍ରଣମୁଛି ଥାଇ ପ୍ରବାସେ,

ନ ଧରି ଦୋଷ କ୍ଷମା ପ୍ରଦାନ ଦାସେ । ୫ ।